ନୂଆଦିଲ୍ଲୀ: ଆଇସିସି ଶନିବାର ୨୦୨୪ ବର୍ଷ ପାଇଁ ପୁରୁଷ ଟି-୨୦ ଟିମ୍ ଅଫ୍ ଦ’ ଇୟର ଘୋଷଣା କରିଛି । ରୋହିତ୍ ଶର୍ମାଙ୍କୁ ଟିମ୍ର ଅଧିନାୟକ କରାଯାଇଛି । ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଭାରତ ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିଥିଲା । ୨୦୨୪ରେ ଟି-୨୦ରେ ଭାରତର ଦବଦବା ରହିଥିଲା । ଆଇସିସି ଦ୍ୱାରା ଘୋଷିତ ଟିମରେ ଭାରତର ସବୁଠୁ ଅଧିକ ଚାରି ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ରୋହିତଙ୍କ ସହ ଟିମରେ ଯଶପ୍ରୀତ ବୁମରା, ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ଫାଷ୍ଟ ବୋଲର ଅର୍ଶଦୀପ ସିଂଙ୍କୁ ଟିମରେ ସାମିଲ କରାଯାଇଛି । ଟିମ୍ରେ ପାକିସ୍ତାନର ଏକ ମାତ୍ର ଖେଳାଳି ଭାବେ ବାବର ଆଜମଙ୍କୁ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଜିମ୍ୱାୱେ ଏବଂ ୱେଷ୍ଟଇଣ୍ଡିଜର ଜଣେ ଜଣେ ଖେଳାଳିଙ୍କୁ ଟିମ୍ରେ ସ୍ଥାନ ମିଳିଛି । ୱେଷ୍ଟଇଣ୍ଡିଜର ନିକୋଲସ ପୁରନଙ୍କୁ ୱିକେଟ୍ କିପରି କରାଯାଇଛି ।
ରୋହିତ ଶର୍ମା ପୁରୁଷ ଟି-୨୦ ଟିମ୍ ଅଫ୍ ଦ' ଇୟର ଅଧିନାୟକ ହେବା ସହ ଓପନର ମଧ୍ୟ । ୨୦୨୪ରେ ରୋହିତ୍ ଶର୍ମା ୧୧ଟି ଟି-୨୦ ମ୍ୟାଚ୍ରେ ୪୨ ଆଭରେଜ୍ ଏବଂ ୧୬୦.୧୬ ଷ୍ଟ୍ରାଇକ୍ ରେଟ୍ ସହ ୩୭୮ ରନ୍ କରିଥିଲେ । ଏଥିରେ ତାଙ୍କ ବ୍ୟାଟରକୁ ଗୋଟିଏ ଶତକ ମଧ୍ୟ ବାହାରିଥିଲା । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୧ ବର୍ଷ ପରେ ଆଇସିସିର କୌଣସି ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇଥିଲା । ଟି-୨୦ ବିଶ୍ୱକପ୍ ଜିତିବା ପରେ ସେହି ଦିନ ହିଁ ସେ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ସେହିପରି ୨୦୨୪ରେ ବୁମରା ୮ଟି ଟି-୨୦ ଇଣ୍ଟରନ୍ୟାସନାଲରେ ୮.୨୬ ହାରରେ ୧୫ ୱିକେଟ୍ ନେଇଥିଲେ । ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇବାରେ ବୁମରାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ।
ଭାରତର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ୧୭ଟି ଟି-୨୦ ମ୍ୟାଚ୍ରେ ୩୫୨ ରନ୍ କରିବା ସହ ୧୬ ୱିକେଟ୍ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପ୍ ଫାଇନାଲରେ ୧୬ ରନ୍ ଡିଫେଣ୍ଡ କରିଥିଲେ । ଅନ୍ୟପଟେ ଅର୍ଶଦୀପ ସିଂହ ୨୦୨୪ରେ ଭାରତର ସବୁଠୁ ସଫଳ ବୋଲର ହୋଇଥିଲା । ସେ ୧୮ଟି ମ୍ୟାଚ୍ରେ ୧୩.୫୦ ହାରରେ ୩୬ ୱିକେଟ୍ ନେଇଥିଲେ ।
୨୦୨୪ ବର୍ଷ ପାଇଁ ପୁରୁଷ ଟି-୨୦ ଟିମ୍ ଅଫ୍ ଦ’ ଇୟର: ରୋହିତ୍ ଶର୍ମା (ଅଧିନାୟକ), ଟ୍ରାଭିସ୍ ହେଡ୍ (ଅଷ୍ଟ୍ରେଲିଆ), ଫିଲ୍ ସଲ୍ଟ (ଇଂଲଣ୍ଡ), ବାବର ଆଜମ (ପାକିସ୍ତାନ), ନିକୋଲସ ପୁରନ (ୱିକେଟ୍ କିପର), ସିକନ୍ଦର ରାଜା (ଜିମ୍ୱାୱେ), ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ), ରାଶିଦ ଖାନ (ଆଫଗାନିସ୍ତାନ), ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା), ଜଶପ୍ରୀତ ବୁମରା (ଭାରତ), ଅର୍ଶଦୀପ ସିଂହ (ଭାରତ)